ନୂଆଦିଲ୍ଲୀ ୦୧/୦୧: ଇଂଲିଶ ପ୍ରିମିୟର ଲିଗ୍‌ର ପ୍ରଶଂସକ ସମଗ୍ର ବିଶ୍ୱରେ ଅଛନ୍ତି । ବିଶ୍ୱର ବିଭିନ୍ନ କୋଣରେ ଏହାକୁ ନେଇ ପାଗଳାମି ବି ଦେଖିବାକୁ ମିଳେ । ଖଚାଖଚ୍‌ ଭିଡ଼ ଭିତରେ ଷ୍ଟାଡିୟମ୍‌ରେ ସମର୍ଥକ ଖେଳର ଭରପୂର ମଜା ନିଅନ୍ତି । ଗୀତ ଓ ସ୍ଲୋଗାନ୍‌ ଆଦି ମାଧ୍ୟମରେ ନିଜ ନିଜ ଟିମ୍‌କୁ ସମର୍ଥନ କରନ୍ତି । ଏହି ମାହୋଲ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥାଏ । ଖେଳ ବାହାରେ ସମର୍ଥକମାନେ ନିଜ ନିଜ ଟିମ୍‌ ପାଇଁ ଭୀଷଣ ଶତ୍ରୁତା କରିବାକୁ ମଧ୍ୟ ପଛାନ୍ତି ନାହିଁ । 

ଫୁଟ୍‌ବଲ ଫ୍ୟାନ୍‌ଙ୍କର ବିଚିତ୍ର ସଉକର ଲମ୍ବା ତାଲିକାରେ ସଦ୍ୟତମ ଘଟଣା ସ୍ଥାନ ପାଇଛି । ମାଞ୍ଚେଷ୍ଟର୍‌ ୟୁନାଇଟେଡ୍‌ ଫୁଟବଲ କ୍ଲବ୍‌ର ଖେଳ ଦେଖିବାକୁ ଜଣେ ସମର୍ଥକ ମଙ୍ଗୋଲିଆରୁ ବ୍ରିଟେନର ଓଲ୍ଡ ଟ୍ରାଫୋର୍ଡକୁ ସାଇକେଲରେ ୧୪ ହଜାର କିମି ଯାତ୍ରା କରିଛନ୍ତି । ଏହି ବିମୁଗ୍ଧ ପ୍ରଶଂସକଙ୍କ ନାଁ ଓଚିର୍‌ଭାନି ‘ଓଚିରୂ’ ବ୍ୟାଟ୍‌ବୋଲ୍ଡ । ଏହି ଲମ୍ବା ପଥ ଅତିକ୍ରମ କରିବାର କାରଣ ଏବଂ ସାଇକେଲ ଯାତ୍ରାର ଅନୁଭବକୁ ସେ ନିଜର ଏକ୍ସ ହ୍ୟାଣ୍ଡେଲ୍‌ରେ ବର୍ଣ୍ଣନା କରିଛନ୍ତି । ଲେଖିଛନ୍ତି ‘ଓଲ୍ଡ ଟ୍ରାଫୋର୍ଡରେ ନିଜର ପ୍ରଥମ ମ୍ୟାଚ୍‌ ଦେଖିବା ଲାଗି ମୁଁ ମଙ୍ଗୋଲିଆରୁ ମାଞ୍ଚେଷ୍ଟର ସାଇକେଲ ଯାତ୍ରା କଲି । ମାଞ୍ଚେଷ୍ଟର ୟୁନାଇଟେଡ୍‌କୁ ମୁଁ କେତେ ଭଲପାଏ, ଏହା ତା’ର ପ୍ରମାଣ । ପିଲାଦିନେ ମା’ଙ୍କୁ ମ୍ୟାଚ୍‌ ଦେଖାଇବାକୁ ଦେଇଥିବା ପ୍ରତିଶ୍ରୁତି ମୁଁ ଆଜି ପୂରଣ କରିଛି । ଏଥିପାଇଁ ଯେତେ ଜଟିଳ ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ପ୍ରିୟ ଟିମ୍‌ ପାଇଁ ମୋର ଭଲପାଇବା ଅତୁଟ ।’ 

ପ୍ରିମିୟର ଲିଗ୍‌ ଅନୁସାରେ, ୨୦୨୩ ମସିହା, ମେ’ରେ ବ୍ୟାଟ୍‌ବୋଲ୍ଡ ନିଜ ଦେଶ ମଙ୍ଗୋଲିଆରୁ ଓଲ୍ଡ ଟ୍ରାଫୋର୍ଡ ସ୍ଥିତ ମାଞ୍ଚେଷ୍ଟର ୟୁନାଇଟେଡ୍‌ର ଷ୍ଟାଡିୟମ୍‌କୁ ୧୪ ହଜାର କିମିର ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । ବ୍ୟାଟ୍‌ବୋଲ୍ଡ ୨୦୧୦ ମସିହାରୁ ରେଡ୍‌ ଡେଭିଲ୍ସ ଟିମ୍‌କୁ ସମର୍ଥନ କରିଆସୁଛନ୍ତି । ସେହି ବର୍ଷ ସେପ୍ଟେମ୍ବରରେ ଲିଭରପୁଲ୍‌ ବିପକ୍ଷ ମ୍ୟାଚ୍‌ ତାଙ୍କର ପ୍ରଥମ ସ୍ମୃତି । ୩-୨ ବିଜୟରେ ଦିମିତାର ବରବାଟୋଭ୍‌ଙ୍କ ହ୍ୟାଟ୍ରିକ୍‌ ପାଇଁ ମ୍ୟାଚ୍‌ଟି ପ୍ରସିଦ୍ଧ ।

ବ୍ୟାଟ୍‌ବୋଲ୍ଡ ମାଞ୍ଚେଷ୍ଟର ୟୁନାଇଟେଡ୍‌ କ୍ଲବ୍‌କୁ ଏକ ଚିଠି ଲେଖିଥିଲେ । ଏଥିରେ ବର୍ଣ୍ଣନା କରିଥିଲେ ‘ମୁଁ ଏବେ ମୋ ଦେଶ ମଙ୍ଗୋଲିଆରୁ ଓଲ୍ଡ ଟ୍ରାଫୋର୍ଡକୁ ସାଇକେଲରେ ଯାତ୍ରା କରୁଛି । କାରଣ ମୁଁ ମାଞ୍ଚେଷ୍ଟର ୟୁନାଇଟେଡ୍‌କୁ ଭଲପାଏ । ୱେନ୍‌ ରୁନି ସର୍ବଦା ମୋର ହିରୋ ରହିବେ । ତାଙ୍କର ଅବିଶ୍ରାନ୍ତ କାର୍ଯ୍ୟ ନୀତି, ବହୁମୁଖୀ ପ୍ରଦର୍ଶନ ଏବଂ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଉପରକୁ ଉଠିବାର ସାମର୍ଥ୍ୟକୁ ମୁଁ ଭଲପାଏ । ସେ ସର୍ବଦା ଜଣେ ପ୍ରେରଣା ଥିଲେ । ପିଲାଦିନେ ମୁଁ ଜଣେ ପେସାଦାର ଫୁଟ୍‌ବଲର ହେବାକୁ ଏବଂ ମାଞ୍ଚେଷ୍ଟର ୟୁନାଇଟେଡ୍‌ ପାଇଁ ଖେଳିବାକୁ ଚାହୁଁଥିଲି । କିନ୍ତୁ ଏକ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଲି । ନିଜକୁ ଫୁଟ୍‌ବଲ ଏଜେଣ୍ଟ୍‌ କହିଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ଠକାମିର ଶିକାର ହୋଇ ବହୁ ପରିମାଣର ଅର୍ଥ ମୁଁ ହରାଇଲି ।’